Followers

Wednesday 24 June 2020

Odia poetry by Sanskruti Mohanty from India


ବର୍ଷା

ବର୍ଷା ତୁ ଫେରିଜା

ମୋ କାଗଜ ଡ଼ଙ୍ଗାରେ,

ସାଧବ ବୋହୂକୁ ସାଙ୍ଗରେ ନେଇ,

ମୁଁ ଆଉ ଖେଳିବିନି ତୋ ସାଥିରେ।

ଚୁଲି ମୁଣ୍ଡରେ ଶୁଖିଛି,

ମୋ ଓଦା ଛବି ବହି,

ଓଦା ଜାଳରେ ଚୁଲି ଲଗେଇଛି ମା,

ଧୁଆଁରେ ଅନ୍ଧାର ଦିଶୁଛି ଘର।

କଣା ଚାଳ ବାଟେ ଲହଡା ଭାଙ୍ଗୁଛି ପାଣି,

ବା' ଯାଇଛି ବାବୁଘର ମୂଲ ଲାଗି।

କୁନି ପୁଅକୁ ଜ୍ୱର,

ପଥି ଦବାକୁ ପଇସା ନାହିଁ ବା' ର,

ଆଖି ଲୁହରେ ତିନ୍ତୁଛି ମା' ର ଲୁଗା କାନି।

ମାଣ୍ଡିଆ ଜାଉ ବସିଛି ଚୁଲିରେ,

ଭାତ ଗଣ୍ଡେ ହେଇଛି ସାତ ସପନ,

କାଦୁଅ ହେଇଛି ମୋ ଛିଟ ଜାମା,

ବା' ସେଇଟା ଆଣିଥିଲା,

ଆର ସନ ମକର ଜାତରୁ।

ତୁ ଫେରିଜା ବର୍ଷା ମା' ର ଆଖି ଲୁହରେ।

ଭରିଦେ କିଛି ମିଠା ମିଠା,

ସପନର ଉଷୁମ ପରଶ,

ଦେଇଦେ ମୋ କୁନି ଭାଇର ଓଠରେ, 

ହସର ଫୁଲଝରି,

ସୁନେଲି ଖରାରେ ଶୁଖିଯାଉ ମା' ର ଲୁହ,

ମୋ ବହିପତ୍ର, ମୋ ଜାମା,

ସନ୍ତଉ ଥିବା ଆମ କୁଡିଆ,

ଆଉ ଅଭାବରେ ଭିଜି ଯାଇଥିବା,

ଖଣ୍ଡେ ସାଧା କାଗଜ ପରି,

ମୋ ବା'ର ଦରଦୀ ହୃଦୟ।।।

 

by Sanskruti Mohanty

Ramamurthy Nagar

Bengaluru

 

No comments:

Post a Comment

Featured post

poetry priya by Madhab chanda Jena