Followers

Friday 18 December 2020

Odia Poetry by Snehalata Biswal,Abdalpur,Jajpur,Odisha,India

 ମନଚୁଲି

ମନର ଚୁଲିରେ ମୋର ହାଣ୍ଡିଏ ଅନ୍ଧାର,

ଖଣ୍ଡିଏ ପୁଣ୍ୟର ରନ୍ଧାବଢା ନିତି ମୋର ।

ଗିନାଏ ଗ୍ଲାନି ପୁଣି ଧାପେ ଧାର ଉଧାର,

ଚିମୁଟେ ଆଶାର ଲୁଣେ ଚଳେ ପରିବାର ।

କିଆରିଏ ବିଶ୍ଵାସରେ କେନାଏ ନିଃଶ୍ୱାସ,

ଚେନାଏ ଚାନ୍ଦର ଛାଇ ବେଲାଏ ବିଶ୍ୱାସ।

ଗୋଟିଏ ନିଆରା ଶବ୍ଦ କୋଟିଏ ଅମୃତ, 

କାନିରେ ବାନ୍ଧିଛି ଯେତେ ସୁନେଲି ଅତୀତ। 

ରେଖାଏ ଦେଖାରେ ପୁରିଯାଏ ସେରମାଣ,

ମମତାର ମସଲାରେ ରାନ୍ଧେ ମୁଁ ତିଅଣ। 

କର୍ଚୁଲିଏ କଳପନା ବାଢେ ଦେଇ ମନ, 

ଅଣ୍ଟିର ଗଣ୍ଠିରେ ଗଣ୍ଠିଲିଏ ମୋ ସପନ।

କାଣିଚାଏ ହସପୁଣି ପାଣିଚିଆ ବେଶ, 

ଦୁଇବିଶ୍ଵା ଜମିରେ ମୋ ବସ୍ତାଏ ବତାସ

ମୁଠାଏ ଆଶାରେ ମୋର ଦି'ମୁଠା ନିରାଶା, 

ଆଞ୍ଜୁଳାଏ  ସ୍ନେହ ଶ୍ରଦ୍ଧା ଟିକେ ରାଗଋଷା।


Friday 4 December 2020

Odia poetry by Nibedita Kar from Cuttack,Odisha,India

 ବିରହ ସଞ୍ଜ !

*********

ଅପରାହ୍ନର 

ଅଜବ ଉଦାସୀନତା 

କ୍ରମଶଃ... 

ଥଣ୍ଡା ପଡି ଚାଲିଛି 

ଦାଉ ଦାଉ ଝଲସୁ ଥିବା 

ପଶ୍ଚିମା ସୁରୁଜ 

ମୁଣ୍ଡ ନୁଆଇଁ 

ମୌନ ମୁଦ୍ରାରେ 

ଭାରାକ୍ରାନ୍ତ ଦିଗବଳୟ 

ଆଉ ଏକଦମ 

ଥକି ଯିବାଭଳି 

ହଲଚଲ ବିହୀନ 

ଚଞ୍ଚଳ ପବନ !!!

ଅପରାହ୍ନର 

ଅଜବ ଉଦାସୀନତା 

ଚତୁଃର୍ଦିଗ ନିରବ ନିଶ୍ଚଳ 

କାଁ ଭାଁ ଗୋରୁଙ୍କ ହମ୍ବା ରଡ଼ି 

ନୀଡ଼ ମୁହାଁ ପକ୍ଷୀ ମାନଙ୍କ ରାବେଳି ବି 

କାନ ଭିତରେ ପଶିବା ମନା 

ହାଲକା ହାଲକା ଶୀତ 

ଦେହ ଛଡ଼ା 

ମନ, ହୃଦୟ, ପ୍ରାଣକୁ 

ଶୁଖାଇ ଚାଲିଛି ଗୋଟାପଣେ 

ଏସବୁ... 

ବିରହ ସଞ୍ଜର 

ପୂର୍ବ ପ୍ରସ୍ତୁତି କି' କଣ କେଜାଣି ??? 

                   

Featured post

poetry priya by Madhab chanda Jena